Unknown

 

 

 

 

 

 

 

 

 

ବୋଲି ଚଉତିଶା

ଶ୍ରୀ ନିଧି ଦାସ

 

(‘ପ୍ରାଚୀନ ଓଡ଼ିଆ ଲିପି ଭାଷା ଓ ଓଡ଼ିଆ ସାହିତ୍ୟ’ରେ କବି ନିଧି ଦାସଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି । ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର କବି- “ବ୍ୟାଘ୍ରବୋଲି’ର ରଚୟିତା । ଉକ୍ତ ‘ବୋଲି ଚଉତିଶା’ ସେଥିରୁ ଆନୀତ । ସୁନ୍ଦର, ସହଜ ଭାଷାରେ ରଚିତ ଉକ୍ତ ଚଉତିଶାଟିରେ କବି କୃଷ୍ଣଙ୍କ ଅପୂର୍ବ ରୂପକାନ୍ତି, ବାଲ୍ୟଲୀଳା, ଅପାରମହିମା, ମଥୁରାଗମନର ଚିତ୍ର ସୁନ୍ଦର ଭାବେ ଫୁଟି ଉଠିଛି । ଘୋଷା ଛଳରେ କବି ବିଭିନ୍ନ ଗଛର ସୂଚନା ଦେଇଛନ୍ତି ।)

 

କଦମ୍ବ ଗଛର ଛାଇ ଗୋ

 

କଦମ୍ବ ମୂଳରେ ରହେ କହ୍ନାଇ

 

ଗୋପାଳୁଣୀ ହେଳେ ବାଇ ଗୋ

।୧।

 

 

ଖଣ୍ଡ କୋଳିଗଛ ଛାଇ ଗୋ

 

ଖଟିଥିଲୁ ଆମ୍ଭେ ସର୍ବ ଗୋପବାଳୀ

 

ଖୋଜିଲେ ଭେଟ ନ ପାଇ ଗୋ

।୨।

 

 

ଗମ୍ଭାରୀ ଗଛର ଛାଇ ଗୋ

 

ଗୋପରେ ଗୋପୀଙ୍କି ବୋଲରା ହୋଇଲ

 

ଯମୁନା ଗାଧୋଇ ଯାଇ ଗୋ

।୩।

 

 

ଘାଣ୍ଟିଆ ଗଛର ଛାଇ ଗୋ

 

ଘୋର ବୃନ୍ଦାବନେ ମୁରଲୀ ବଜାନ୍ତି

 

ଘାଗୁଡ଼ି-ମାଳ ଲମ୍ବାଇ ଗୋ

।୪।

 

 

ନରକୋଳି ଗଛ ଛାଇ ଗୋ

 

ନରସିଂହ ରୂପେ ହିରଣ୍ୟ ମାଇଲେ

 

ପ୍ରହଲାଦ ପଦ ଦେଇ ଗୋ

।୫।

 

 

ଚନ୍ଦନ ଗଛର ଛାଇ ଗୋ

 

ଚିତା ସକଳରେ ସାଜିଥାଇ ଚୂଳ

 

ଚତୁରୀ ମୋହିବା ପାଇଁ ଗୋ

।୬।

 

 

ଛତୁଆରୀ ଗଛ ଛାଇ ଗୋ

 

ଛାଟପିଟି ନନ୍ଦ କୋଳେ ବସାଇଲେ

 

ଛୁଆଳ ବାଳ ମାଧୋଇ ଗୋ

।୭।

 

 

ଜଜାଙ୍ଗ ଗଛର ଛାଇ ଗୋ

 

ଯେଉଁଦିନୁ ଗଲେ ନନ୍ଦର ନନ୍ଦନ

 

ଯମୁନା ସ୍ନାହାନ ନାହିଁ ଗୋ

।୮।

 

 

ଝୁମୁକା ଗଛର ଛାଇ ଗୋ

 

ଝଟକୁଅଛି ଯେ ମୟୂର-ଚନ୍ଦ୍ରିକା

 

ଝଟକି ପଡ଼ଇ ମହୀଗୋ

।୯।

 

ଭାବାର୍ଥ- (୧-୯) ଗୋପୀମାନେ କୃଷ୍ଣଙ୍କୁ ଝୁରି ସଖୀଙ୍କୁ କହୁଛନ୍ତି- କଦମ୍ବଗଛର ଛାଇ ଗୋ, କଦମ୍ବଗଛ ମୂଳରେ କହ୍ନାଇ ରହୁଛି । ତା’ ପାଇଁ ଗୋପାଳୁଣୀମାନେ ବାଇ ହେଉଛନ୍ତି । ଖଣ୍ଡ କୋଳିଗଛ ଛାତ ତଳେ ସମସ୍ତ ଗୋପୀ ଏକାଠି ହୋଇଛନ୍ତି କୃଷ୍ଣଙ୍କୁ ପାଇବା ପାଇଁ; କିନ୍ତୁ ପାଇନାହାନ୍ତି । ରେ ସଖୀ, ଆମେ ସବୁ ଗୋପାଙ୍ଗନା କହ୍ନାଇର ପାଦ ତଳେ ଖଟିଥିଲୁ, ଅନେକ ଖୋଜିଲୁ ଭେଟ ପାଇଲୁ ନାହିଁ । ଗମ୍ଭାରି ଗଛର ଛାଇ ଗୋ, ସବୁଦିନେ ଯମୁନାକୁ ଗାଧୋଇ ଯାଇ ଗୋପପୁରର ଗୋପୀଙ୍କର ବୋଲଣା ହୋଇଯାଇଛନ୍ତି । ତାକୁ ନ ଦେଖିଲେ ଗୋପବାଳୀମାନେ ପାଗଳିନୀ ହୋଇଯାଆନ୍ତି । ଘାଣ୍ଟିଆ ଗଛର ଛାଇ ଗୋ, ସେ କହ୍ନାଇ ଦେହରେ ଘାଙ୍ଗୁଡ଼ି ମାଳ ଲମ୍ବାଇଛନ୍ତି । ଘୋର ବନ ମଧ୍ୟରେ ମୁରଲୀ ବଜାଉଛନ୍ତି । ନରକୋଳି ଗଛର ଛାଇ ଗୋ, କୃଷ୍ଣଙ୍କ ମହିମାର ଅନ୍ତ ନାହିଁ । ନରସିଂହ ରୂପରେ ହିରଣ୍ୟ କଶ୍ୟପଙ୍କୁ ବଧ କଲେ । ତା’ ପୁତ୍ର ପ୍ରହଲ୍ଲାଦକୁ ଇନ୍ଦ୍ରପଦ ପ୍ରଦାନ କରିଛନ୍ତି ।

 

ଚନ୍ଦନ ଗଛର ଛାଇ ଗୋ, ତାଙ୍କ କପାଳ ଦେଶରେ ଚିତା ଖୁବ୍ ଶୋଭାମୟ ଦେଖାଯାଉଛି । ଚିତା ସଳଖରେ ଚୂଳ ସଜ୍ଜିତ ହୋଇ ସୁନ୍ଦର ଦିଶୁଛି । ତାଙ୍କ ଅପୂର୍ବ ରୂପ ଚତୁରୀମାନଙ୍କ ମନକୁ ମୋହୁଛି । ଛତୁଆରୀ ଗଛ ଛାଇ ଗୋ, ଛାଟରେ ପିଟି ନନ୍ଦରାଜା ବାଳକୃଷ୍ଣଙ୍କୁ କୋଳରେ ବସାଇଲେ । ଜଜାଙ୍ଗ ଗଛର ଛାଇ ଗୋ, ଯେଉଁଦିନଠୁଁ କୃଷ୍ଣ ମଥୁରା ପୁରକୁ ଚାଲିଗଲେ, ସେହି ଦିନଠାରୁ ମୁଁ ଯମୁନା ନଦୀକୁ ସ୍ନାନ ପାଇଁ ଆଉ ଯାଉ ନାହିଁ । ଝୁମୁକା ଗଛର ଛାଇ ଗୋ, କୃଷ୍ଣଙ୍କ ମଥାରେ ମୟୂର ଚନ୍ଦ୍ରିକା ଖୁବ୍ ମାନୁଛି । ବିଜୁଳି ପରି ଝଟକୁଛି । ତା’ର ତେଜରେ ସମଗ୍ର ଜଗତ ଝଲସୁଛି ।

 

 

ନିମ୍ବ ଗଛର ଛାଇ ଗୋ

 

ନନ୍ଦର ନନ୍ଦନ ଶ୍ରୀ ମଧୁସୁଦନ

 

ନନ୍ଦ ମନ୍ଦିରକୁ ଯାଇ ଗୋ

।୧୦।

 

 

ଟଭା ଗଛମୂଳ ଛାଇ ଗୋ

 

ଟେକ-ପଣ କରି ଇନ୍ଦ୍ର ବାଦକଲା

 

ରଖିଲେ ଗୋପର ଗୋଈ ଗୋ

।୧୧।

 

 

ଠାକୁର-ଶ୍ରୀଭୁଜ-ଛାଇ ଗୋ

 

ଖୋଜି ଖୋଜି ମୁନି ଭେଟ ନ ପାଇଲେ

 

ଠୂଳ ଶୂନ୍ୟ ପରେ ଥାଇ ଗୋ

।୧୨।

 

 

ଡାଳିମ୍ବ ଗଛର ଛାଇ ଗୋ

 

ଡକାକରି ସରଲବଣୀ ଖାଆନ୍ତି

 

ଡାକିଲେ ପକାଇ ଯାଇ ଗୋ

।୧୩।

 

 

ଢାମଣା ଗଛର ଛାଇ ଗୋ

 

ଢମପଣ କରି ପୋତନୀ ଅଇଲା

 

ପ୍ରାଣ ଶୋଷିଲେ ମାଧୋଇ ଗୋ

।୧୪।

 

 

 

 

ଅରୁଣ ଗଛର ଛାଇ ଗୋ

 

ଅରଣ୍ୟ ଭିତରେ ବାରତା ପାଇଲେ

 

ଦଶରଥ ନାଶ ଯାଇ ଗୋ

।୧୫।

 

 

ତରାଟ ଗଛର ଛାଇ ଗୋ

 

ତୁରି ତୁରି କରି ମୁରଲୀ ବଜାନ୍ତି

 

ତନୁ ଜର ଜର ହୋଇ ଗୋ

।୧୬।

 

 

ଥରଥରା ଗଛ ଛାଇ ଗୋ

 

ଥଣ୍ଟଚିରି ବକାସୁରକୁ ମାଇଲେ

 

ରଖିଲେ ଗୋପର ଗୋଈ ଗୋ

। ୧୭ ।

 

 

ଦୟଣା ଗଛର ଛାଇ ଗୋ

 

ଯୁଗ ପ୍ରଲୟରେ ମାରକଣ୍ଡ ଋଷି

 

ଗର୍ଭରେ ରହିଲେ ଯାଇ ଗୋ

।୧୮।

 

 

ଧନିଆ ଗଛର ଛାଇ ଗୋ

 

ଧରଣୀ-ଧର ତ ମଥୁରାକୁ ଗଲେ

 

ଧଇର୍ଯ୍ୟ ନ ରହେ ଦେହୀ ଗୋ

।୧୯।

 

 

 

 

ନଳିତା ଗଛର ଛାଇ ଗୋ

 

ନଉଲୀ ବୟସୀ ନନ୍ଦର ନନ୍ଦନ

 

କୁବୁଜା ଉଜ୍ଜ୍ୱଳ ହୋଇ ଗୋ

।୨୦।

 

ଭାବାର୍ଥ- (୧୦-୨୦) ସଖୀ ପୁଣି ଗୋପୀଙ୍କୁ ସମ୍ବୋଧନ କରି କହୁଛି, ନିମ୍ବ ଗଛର ଛାଇ ଗୋ, ଶ୍ରୀକୃଷ୍ଣ ନନ୍ଦରନନ୍ଦନ, ଶ୍ରୀମଧୁସୂଦନ, ନନ୍ଦ ଘରର ଶିରୀ । ଟଭା ଗଛମୂଳ ଛାଇ ଗୋ, ଗର୍ବ ପଣରେ ଇନ୍ଦ୍ର, କୃଷ୍ଣଙ୍କ ସହ ବୈରୀ ଭାବ ଆଚରଣ କଲା । ସାତଦିନ ଜଳବୃଷ୍ଟି କଲା । କୃଷ୍ଣ ହାତରେ ପର୍ବତ ଧରି ଗୋପପୁରବାସୀଙ୍କୁ ଉଦ୍ଧାର କଲେ । ଠାକୁରଙ୍କ ଶ୍ରୀଭୁଜ ହେଉଛି ମନୁଷ୍ୟ ପାଇଁ ଆଶ୍ରୟସ୍ଥଳ, ଛାଇ । ତାଙ୍କୁ ପାଇବା ପାଇଁ ମୁନି ଋଷିମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରୁଛନ୍ତି, ପାଗଳ ପ୍ରାୟ ହେଉଛନ୍ତି । ସ୍ଵର୍ଗପୁରରେ ଦେବଗଣ ରହି ତାଙ୍କୁ ଖୋଜୁଛନ୍ତି । ଡାଳିମ୍ବ ଗଛର ଛାଇ ଗୋ, ସରଲବଣୀ ଖିଆ କୃଷ୍ଣ । ଲୁଚି ଲୁଚି ଖାଇବା ପିଲାଦିନରୁ ତାଙ୍କର ଅଭ୍ୟାସ । ଲୁଚି କରି ସରଲବଣୀ ଖାଉଥିବେ, ଡାକିଲେ କିନ୍ତୁ ନ ଖାଇ ଧାଇଁ ପଳାଇବେ । ଗୋ ସଖୀ, ଢାମଣା ଗଛର ଛାଇ, ବାଳୁତ କୃଷ୍ଣଙ୍କୁ ମାରିବା ପାଇଁ ଜମପଣ (ଗର୍ବ)ରେ ପୂତନା ଅସୁରଣୀ ଧାଇଁ ଆସିଲା । କିନ୍ତୁ ତା’ ପ୍ରାଣ ଶୋଷି ଦେଲେ । ଅରୁଣ ଗଛର ଛାଇ ଗୋ, ସପ୍ତମ ଅବତାରରେ ଭଗବାନ ରାମ ଅବତାର ନେଇଥିଲେ । ପିତୃସତ୍ୟ ପାଳନ କରି ଚଉଦବର୍ଷ ବନକୁ ଯାଇଥିଲେ । ବନ ଭିତରେ ଥିବାବେଳେ ପିତା ଦଶରଥଙ୍କ ମୃତ୍ୟୁ ଖବର ପାଇଥିଲେ ।

 

ରେ ସଖୀ, ତରାଟ ଗଛର ଛାଇ ଗୋ, ରହି ରହି ସୁନ୍ଦର ଢଙ୍ଗରେ ସେ ଯେଉଁଭଳି ମୁରଲୀ ବଜାଉଛନ୍ତି, ତାକୁ ଶୁଣି ମନ ମୋହ ହୋଇ ଯାଉଛି । ତାଙ୍କ ମୁରଲୀ ନାଦ ଶୁଣି ମୋ ତନୁ ଜର ଜର ହୋଇ ଯାଉଛି । ଥରଥରା ଗଛ ଛାଇ ଗୋ, କଂସ ଦାଉରୁ ଗୋପପୁର ବାସୀଙ୍କୁ କୃଷ୍ଣ ଅନେକ ଥର ରକ୍ଷା କରିଛନ୍ତି । ବକାସୁରର ଥଣ୍ଟକୁ ଚିରି ତାକୁ ବିନାଶ କରିଛନ୍ତି, ଗୋପପୁରବାସୀ ଉଦ୍ଧାର ପାଇଲେ । ଦୟଣା ଗଛର ଛାଇ ଗୋ, ସଖୀ, ଯେତେବେଳେ ଗୋଟାଏ ଯୁଗରେ ପ୍ରଳୟ ଘଟିଲା ମାର୍କଣ୍ଡ ଋଷି ତାଙ୍କ ଗର୍ଭରେ ରହିଲେ । ଧନିଆ ଗଛର ଛାଇ ଗୋ, ସଖୀ ଗୋ, ଧରଣୀଧର ସେ କୃଷ୍ଣ, ଏବେ ମଥୁରାକୁ ଚାଲି ଗଲେ । ତାଙ୍କ ବିଚ୍ଛେଦରେ ଏ ଦେହ ଧୈର୍ଯ୍ୟ ଧରି ରହିପାରୁନି । ରେ ସଖୀ, ନଳିତା ଗଛର ଛାଇ ଗୋ, ନନ୍ଦନନ୍ଦନ ଶ୍ରୀକୃଷ୍ଣ, ତାଙ୍କର ନଉଲୀ ବୟସ, ତାଙ୍କ ହାତ ସ୍ପର୍ଶରେ କୁବୁଜା ଦେବକନ୍ୟା ପରି ସୁନ୍ଦରୀ ହୋଇଗଲା ।

ପଣସ ଗଛର ଛାଇ ଗୋ

 

ପଦ୍ମଫୁଲ ପ୍ରାୟେ ନନ୍ଦର ନନ୍ଦନ

 

ଅକ୍ରୂର ଗୋପରୁ ନେଇ ଗୋ

।୨୧।

ଫଣଫଣା ଗଛ ଛାଇ ଗୋ

 

ଫଗୁ ଖେଳିବାକୁ ପରମାନନ୍ଦ ଯେ

 

ମଥୁରା ରହିଲେ ଯାଇଁ ଗୋ

।୨୨।

ବଉଳ ଗଛର ଛାଇ ଗୋ

 

ବୃନ୍ଦାବନେ ବ୍ରହ୍ମା ବଛା ହରିନେଲେ

 

କୃଷ୍ଣଙ୍କୁ ଭେଟ ନ ପାଇ ଗୋ

।୨୩।

ଭାଲିଆ ଗଛର ଛାଇ ଗୋ

 

ଭାରତ ଯୁଦ୍ଧରେ ସାରଥି ହୋଇଲେ

 

ଅର୍ଜୁନ ରଥରେ ଯାଇ ଗୋ

।୨୪।

 

 

ମରିଚ ଗଛର ଛାଇ ଗୋ

 

ମାଇଁ ମାଇଁ ବୋଲି ରାଧାକୁ ଡାକନ୍ତି

 

ଆଈବୁଢ଼ୀ ଘରେ ନାହିଁ ଗୋ

।୨୫।

 

 

ଜୟନ୍ତୀ ଗଛର ଛାଇ ଗୋ

 

ଜଗତ ଜୀବନ ଯଶୋଦା-ନନ୍ଦନ

 

ମଥୁରା ରହିଲେ ଯାଇଁ ଗୋ

।୨୬।

 

 

ରଙ୍ଗମୟୀ ଗଛ ଛାଇ ଗୋ

 

ରଙ୍ଗେ ରଙ୍ଗେ ବଂଶୀଧରି ନାଚୁଥାନ୍ତି

 

ନାଟୁଆ ପରାୟେ ହୋଇ ଗୋ

।୨୭।

 

 

ଲବଙ୍ଗ ଗଛର ଛାଇ ଗୋ

 

ଲଉଡ଼ି ଧରିଣ ଶ୍ରୀ ମଧୁସୂଦନ

 

ନନ୍ଦ ମନ୍ଦିରକୁ ଯାଇ ଗୋ

।୨୮।

 

 

ବରକୋଳି ଗଛ ଛାଇ ଗୋ

 

ଗୋପର ଗୋପୀଙ୍କି କେଳି କରିଥିଲେ

 

ବୃନ୍ଦାବନରେ ତ ନେଇ ଗୋ

।୨୯।

 

ଭାବାର୍ଥ- (୨୧-୨୯) ରେ ସଖୀ, ପଣସ ଗଛର ଛାଇ ଗୋ, କୃଷ୍ଣଙ୍କର ଅପୂର୍ବ ଶୋଭା କିପରି ବା ବର୍ଣ୍ଣନା କରିପାରିବି ? ପଦ୍ମଫୁଲ ପରି ସେ ସୁନ୍ଦର ଯେମିତି କୋମଳ ସେମିତି । ତାଙ୍କୁ ଅକ୍ରୂର ଗୋପରୁ ନେଇଯାଇଛି । ରେ ଗୋପାଙ୍ଗନା, ଫଣଫଣା ଗଛ ଛାଇ ଗୋ, ଫଗୁଖେଳରେ କହ୍ନାଇରେ ବଡ଼ ଶ୍ରଦ୍ଧା । ପରମାନନ୍ଦ ମାଧୋଇ ଫଗୁ ଖେଳିବାକୁ ଇଚ୍ଛା କରି ମଥୁରାପୁରରେ ଯାଇ ରହିଛନ୍ତି । ଲୋ ବଉଳଗଛର ଛାଇ, ବୃନ୍ଦାବନରେ କୃଷ୍ଣଙ୍କୁ ସାକ୍ଷାତ କରି ନ ପାରି ବ୍ରହ୍ମା ଗାଈପଲରୁ ବାଛୁରୀ ଚୋରାଇ ନେଲେ । ଲୋ ଭାଲିଆ ଗଛର ଛାଇ, କୃଷ୍ଣଙ୍କ ମହିମା କେତେ ବା ଭଣିବି ? ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ରଥରେ ସାରଥ ହୋଇ ଜଗତବକ୍ଷରେ ଯଶ ରଖିଛନ୍ତି । ମରିଚଗଛର ଛାଇ ଗୋ ବଉଳ, କୃଷ୍ଣଙ୍କ ରହସ୍ୟ କଥା କେତେ ବା ବଖାଣିବି ? ଆଈବୁଢ଼ୀ ଘରେ ନାହିଁ, ଏଣେ ରାଧାଙ୍କୁ ମାଇଁ ମାଇଁ ଡାକରେ ଅଥୟ କରିପକାଉଛନ୍ତି । ବଡ଼ ବିଚିତ୍ର ତାଙ୍କର ବ୍ୟବହାର ।

 

ଲୋ ବଉଳ, ଲୋ ଜୟନ୍ତୀ ଗଛର ଛାଇ, ଯଶୋଦା ନନ୍ଦନ କୃଷ୍ଣ ସାମାନ୍ୟ ନୁହଁନ୍ତି, ସେ ଜଗତର ଜୀବନ । ଆମକୁ ଛାଡ଼ି ଏବେ ମଥୁରାରେ ରହିଗଲେ । ରେ ରଙ୍ଗମୟୀ ଗଛ ଛାଇ, ନାଟୁଆ ନଟବର କୃଷ୍ଣ, ଅପୂର୍ବ ଠାଣି ତାଙ୍କର ନାଟୁଆ ପ୍ରାୟ ହୋଇ ଅଙ୍ଗଭଙ୍ଗୀ ଦେଖାଇ ବଂଶୀଧର ନାଚୁଛନ୍ତି ସେ । ଲୋ ସଖୀ, ଲବଙ୍ଗଗଛର ଛାଇ, ହାତରେ ବାଡ଼ି ଧରି କୃଷ୍ଣ ଘରକୁ ଫେରିବା ଦୃଶ୍ୟ କେଡ଼େ ସୁନ୍ଦର ଦେଖାଯାଉନି ସତେ ! ଲୋ ବଉଳ, ବରଗଛର ଛାଇ ଗୋ, ରସିକ ନାଗର କୃଷ୍ଣ, ରସିକ ପଣରେ ତାଙ୍କ ସହିତ କିଏ ବା ସମକକ୍ଷ ହେବ ? ବୃନ୍ଦାବନରେ ଗୋପୀମାନଙ୍କ ସଙ୍ଗରେ ସେ କେଳି କରୁଥିଲେ ।

 

 

ଶିଆଳି ଗଛର ଛାଇ ଗୋ

 

ସାତଦିନ କୃଷ୍ଣ ବିଦ୍ୟା ପଢ଼ିଗଲେ

 

ସଙ୍ଗେ ବଳରାମ ଭାଇ ଗୋ

।୩୦।

 

 

ସଜନା ଗଛର ଛାଇ ଗୋ

 

ସାତଦିନ ତହିଁ ଇନ୍ଦ୍ର ବାଦକଲା

 

ରଖିଲେ ଗୋପର ଗୋଈ ଗୋ

।୩୧।

 

 

ସୁନାରୀ ଗଛର ଛାଇ ଗୋ

 

ଯମୁନାରେ କୃଷ୍ଣ ସ୍ନାହାନ ସାରିଲେ

 

ଅକ୍ରୂର ସଙ୍ଗରେ ଥାଇ ଗୋ

।୩୨।

 

 

ହରିଡ଼ା ଗଛର ଛାଇ ଗୋ

 

ବୀର ହନୁମନ୍ତ ପବନର ସୁତ

 

ସୀତା ଠାବ କଲେ ଯାଇଁ ଗୋ

।୩୩।

 

 

କ୍ଷୀରକୋଳି ଗଛ ଛାଇ ଗୋ

 

କ୍ଷେମେ ନିଧିଦାସ ଶରଣ ମାଗଇ

 

ରଖିଲେ ଗୋପୀ ମାଧୋଇ ଗୋ

।୩୪।

 

ଭାବାର୍ଥ- (୩୦-୩୪) ଶିଆଳ ଗଛର ଛାଇ ଗୋ, ବଡ଼ ଭାଇ ବଳରାମଙ୍କ ସହିତ କୃଷ୍ଣ ଗୁରୁଙ୍କ ଆଶ୍ରମକୁ ବିଦ୍ୟାଲାଭ କରିବାକୁ ଯାଇଥିଲେ । ସେଠାରେ ଅନେକ ଦିନ ରହିଲେ । ଲୋ ସଖୀ, ସଜନା ଗଛର ଛାଇ, କୃଷ୍ଣଙ୍କ ସହ ଶତ୍ରୁତା କରି ଇନ୍ଦ୍ର କୋପରେ ସାତଦିନ କାଳ ଗୋପପୁରରେ ବର୍ଷା କଲା । କୃଷ୍ଣ ହାତରେ ପର୍ବତ ଧରି ଗୋପପୁରବାସୀଙ୍କୁ ରକ୍ଷା କଲେ । ଇନ୍ଦ୍ରର ଗର୍ବ ଚୂର୍ଣ୍ଣ ହେଲା । ସୁନାରୀ ଗଛର ଛାଇ ଗୋ, ଅକ୍ରୂର ସହିତ ଯାଇ କୃଷ୍ଣ ଯମୁନା ଜଳରେ ସ୍ନାନ ସାରିଥିଲେ । ଲୋ ସଖୀ, ହରିଡ଼ାଗଛର ଛାଇ ଗୋ, ରାବଣ ସୀତାଙ୍କୁ ହରଣ କରି ନେଇଥିଲା । ବୀର ହନୁମାନ ଲଙ୍କାକୁ ଯାଇ ସୀତାଙ୍କୁ ଠାବ କରିଥିଲେ। କ୍ଷୀରକୋଳି ଗଛର ଛାଇ ଗୋ, ଲୋ ସଜନୀ କହ୍ନାଇ କୃଷ୍ଣ ହେଉଛନ୍ତି ଗୋପୀମାନଙ୍କ ଜୀବନଧନ, ପ୍ରାଣକର୍ତ୍ତା । ତାଙ୍କ ପାଦତଳେ କବି ନିଧି ଦାସ ଶରଣ ପଶିଲେ ।

Image